ରାୟଗଡ଼ାର କଳା–ସଂସ୍କୃତିର ପର୍ବ ‘ଚୈତି’ ଓ ପଲ୍ଲୀଶ୍ରୀ ମେଳା ଭବ୍ୟ ଭାବେ ଶୁଭାରମ୍ଭ
ରାୟଗଡ଼ା ଜିଲ୍ଲାର କଳା, ସଂସ୍କୃତି ଓ ପାରମ୍ପରିକ ଉତ୍ସବର ପ୍ରତୀକ ‘ଚୈତି’ ଓ ପଲ୍ଲୀଶ୍ରୀ ମେଳା ଆଜି ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ଶୁଭାରମ୍ଭ ହୋଇଛି। ଏହି ମେଳା ୨୬ ଡିସେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ରାୟଗଡ଼ା ସହରର ଜିସିଡି ଗ୍ରାଉଣ୍ଡରେ ଆୟୋଜିତ ହେବ।
ଶୁଭାରମ୍ଭ ଅବସରରେ ରାୟଗଡ଼ା ଜିଲ୍ଲାର ଇଷ୍ଟ ଦେବୀ ମାଁ ମଝିଗୌରୀଙ୍କ ମନ୍ଦିରରୁ କଳସ ଓ ମଶାଳ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରି ଜିସିଡି ଗ୍ରାଉଣ୍ଡରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ହୋଇ ଦର୍ଶକଙ୍କୁ ମୁଗ୍ଧ କରିଥିଲା।
ଉଦ୍ଘାଟନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାପାଳ କୁଲକର୍ଣ୍ଣୀ ଅଶୁତୋଷ, ରାୟଗଡ଼ା ବିଧାୟକ କାଦ୍ରାକା ଆପଲା ସ୍ୱାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗୁଣପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋ, ପିଡି ଡିଆରଡିଏ, ଜିଲ୍ଲା ପରିଷଦ ସଦସ୍ୟ, ତହସିଲଦାର ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
ଜିସିଡି ଗ୍ରାଉଣ୍ଡରେ ମାଁ ମଝିଗୌରୀଙ୍କ କଳସ, ମଶାଳ ଓ ଦୀପ ପ୍ରଜ୍ଜ୍ୱଳନ କରି ପୂଜା ସମାପନ ପରେ ଚୈତି ଓ ପଲ୍ଲୀଶ୍ରୀ ମେଳାର ଆନୁଷ୍ଠାନିକ ଉଦ୍ଘାଟନ କରାଯାଇଥିଲା।
ଏହି ଉତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକସମାଗମ ହୋଇଥିବାରୁ ସମଗ୍ର ରାୟଗଡ଼ା ସହର ଉତ୍ସବମୁଖର ହୋଇଉଠିଛି।
ରାୟଗଡ଼ା ଜିଲ୍ଲାରୁ ଜବାବ ପାଲକାଙ୍କ ରିପୋର୍ଟ – ବିପ୍ଳବୀ ପରିକ୍ରମା

Share this article
View More
Stay Updated
Subscribe to our newsletter for latest updates.